ଅର୍ଥନୀତି ବ୍ୟବସ୍ଥାକୁ ଦୋହଲାଇ ଦେଇଥିଲା କୋଭିଡ୍ ମହାମାରୀ। କରୋନା କାଳରେ ଲକଡାଉନ୍ ଯୋଗୁଁ ସର୍ବସ୍ୱାନ୍ତ ହୋଇଯାଇଥିଲେ ଲୋକେ। କିଏ ତାର ଜୀବିକା ହରାଇଥିଲା, ଆଉ କିଏ ଚାକିରି। ଦୁଇ ବର୍ଷ ଧରି ମହାମାରୀ ସତେ ଯେପରି ମଣିଷର ପେଟକୁ ମାରିଥିଲା ନାତ। ଦୁଇ ବର୍ଷ ଧରି ଲୋକଙ୍କ ଆୟ ତଥା ରୋଜଗାରରେ କଡି ପକାଇଦେଇଥିଲା। ୨୦୨୦-୨୧ ବର୍ଷ ଓ ୨୦୨୧-୨୨ ବର୍ଷରେ ଯେତେବେଳେ ଲୋକ ଗରିବ ହୋଇଥିଲେ, ସେତେବେଳେ ରାଜନୈତିକ ଦଳ ହୋଇଛନ୍ତି ଧନୀ।
୨୦୨୦-୨୧ ବର୍ଷରେ ୮ ରାଜନୈତିକ ଦଳର ସମ୍ପତ୍ତି ୭୨୯୭.୬୧୮ କୋଟି ବଢି ୨୦୨୧-୨୨ ବର୍ଷରେ ୮୮୨୯.୧୫୮ କୋଟି ଟଙ୍କାରେ ପହଞ୍ଚିଛି। କେବଳ ଗୋଟିଏ ବର୍ଷରେ ପୂର୍ବ ସମ୍ପତ୍ତି ଅପେକ୍ଷା ୨୧ ଗୁଣା ବଢିଛି। ଏନେଇ ଏଡିଆର ରିପୋର୍ଟରେ ପ୍ରକାଶ ପାଇଛି।
ନିର୍ବାଚନୀ ସଂସ୍କାରକୁ ନେଇ କାମ କରୁଥିବା ସଂସ୍ଥା ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ ଡାଟା ଜାରି କରିଛି। ଏଡିଆର ନିଜ ରିପୋର୍ଟରେ ୨୦୨୦-୨୧ ଓ ୨୦୨୧-୨୨ ବର୍ଷରେ ୮ ରାଷ୍ଟ୍ରୀୟ ରାଜନୈତିକ ଦଳର ସମ୍ପତ୍ତି ନେଇ ସବିଶେଷ ରିପୋର୍ଟ ଦେଇଛି। ୮ ରାଜନୈତିକ ଦଳ ମଧ୍ୟରେ ଅଛନ୍ତି ବିଜେପି, କଂଗ୍ରେସ, ଏନସିପି, ବିଏସପି, ସିପିଆଇ, ସିପିଆଇଏମ୍, ଟିଏମ୍ସି ଓ ଏନସିପି।
ବିଜେପି ସବୁଠୁ ଧନୀ ଦଳ:
ଏଡିଆର ରିପୋର୍ଟ ଅନୁସାରେ ୨୦୨୦-୨୧ରେ ବିଜେପିରେ ୪୯୯୦.୧୯୫ କୋଟି ସମ୍ପତ୍ତି ଥିବା ନେଇ ଘୋଷଣା କରିଥିଲା। ଯାହା ଏକ ବର୍ଷ ପରେ ୨୦୨୧-୨୨ରେ ସମ୍ପତ୍ତି ୨୧.୭ ପ୍ରତିଶତ ବଢିଯାଇ ୬୦୬୪.୮୧ କୋଟି ଟଙ୍କା ପହଞ୍ଚିଛି। ଅଖିଳ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ୨୦୨୧-୨୧ ବର୍ଷ ୬୯୧.୧୧ କୋଟି ହୋଇଥିବା ବେଳେ ପରବର୍ତ୍ତୀ ବର୍ଷରେ ଏହା ୧୬.୫୮ ପ୍ରତିଶତ ବୃଦ୍ଧି ପାଇ ୮୦୫.୬୮ କୋଟି ଟଙ୍କାରେ ସମ୍ପତ୍ତି ରହିଛି।
ତଳକୁ ଖସିଛି ବିଏସ୍ପିର ସମ୍ପତ୍ତି:
ଏଡିଆର ରିପୋର୍ଟ ଅନୁସାରେ ବହୁଜନ ସମାଜବାଦ ପାର୍ଟି ଏକମାତ୍ର ରାଷ୍ଟ୍ରୀୟ ଦଳ, ଯାହାର ସମ୍ପତ୍ତି ତଳକୁ ଖସିଛି। ୨୦୨୦-୨୧ ବର୍ଷରେ ବିଏସ୍ପିର ସମ୍ପତ୍ତି ୭୩୨.୭୯ କୋଟି ଥିବା ବେଳେ ୨୦୨୧-୨୨ରେ ୬୯୦.୭୧ କୋଟିକୁ ଖସିଆସିଛି।
ପଶ୍ଚିମବଙ୍ଗର ଟିଏମ୍ସିର ସମ୍ପତ୍ତିର ପରିମାଣ ୨୦୨୦-୨୧ରେ ୧୮୨.୦୦୧ କୋଟି ଥିବାବେଳେ ୨୦୨୧-୨୨ରେ ୧୫୧.୭୦ ପ୍ରତିଶତ ବଢି ୪୫୮.୧୦ରେ ପହଞ୍ଚିଛି। ସବୁଟୁ ଦ୍ରୁତ ବେଗରେ ସମ୍ପତ୍ତି ଟିଏମ୍ସିର ବଢିଛି।
ତେବେ କେଉଁ ଦଳ କେତେ ଋଣ ଆଣିଛି, ତାହା କୁହାଯାଇଥିଲେବି କେଉଁ ସୋର୍ସରୁ ଆଣିଛନ୍ତି, ତାହା ଉପରେ ରିପୋର୍ଟରେ କୁହାଯାଇନି। ରିପୋର୍ଟ ଅନୁସାରେ 2୦୨୧ ବର୍ଷରେ ୮ଟି ଦଳ ୧୦୩.୫୫୫ କୋଟି ଋଣ ଆଣିଥିବା ବେଳେ ସବୁଠୁ ଅଧିକ ବାକି ରଖିଛି କଂଗ୍ରେସ। 7୧.୫୮ କୋଟି ବାକି ରଖିଥିଲା କଂଗ୍ରେସ। ସେହିପରି ସିପିଏମ୍ ଉପରେ ୧୬.୦୧୯ କୋଟି ବାକି ରହିଛି।